ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର ( ସ୍ୱସ୍ତିକ ବ୍ୟୁର ) ରାଜ୍ୟରେ କରୋନା କାରଣରୁ ପ୍ରଥମ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ଘର ଭୁବନେଶ୍ୱର ଝାରପଡ଼ା ବୋଲି ଜଣାପଡ଼ିଛି । ମୃତକଙ୍କ ବୟସ ୭୨ ବର୍ଷ । ତାଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ଥିଲା ଓ ସେ କ୍ରୋନିକ ହାଇପରଟେନସନରେ ମଧ୍ୟ ପୀଡ଼ିତ ଥିଲେ । ଏପ୍ରିଲ ୪ତାରିଖ ଦିନ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଆରଏମଆରସି ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଥିଲା। ଏହି ନମୁନା ପରୀକ୍ଷା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ଏବେ ବି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଏମ୍ସ ଶବାଗାରରେ ରହିଛି।
ଏହି ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ଏଥିସହ ଝାରପଡ଼ା ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।