ଆଜି ବିବାହ ବନ୍ଧନ ରେ ବାନ୍ଧିହେବେ ଦୁଇ ପ୍ରେମପକ୍ଷୀ
(ସ୍ୱସ୍ତିକ ବ୍ୟୁର ) ଓଲିଉଡ୍ର ଚର୍ଚ୍ଚିତ ଯୋଡ଼ି ତଥା ସୁପର୍ଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁଙ୍କର ଆଜି ବାହାଘର ହେବ । ଏ ନେଇ ଦୁହେଁ ନିଜ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଜଣାଇଛନ୍ତି। ରାଜସ୍ଥାନରେ ଏକ ବିଳାସପୂର୍ଣ୍ଣ ହୋଟେଲ୍ରେ ଅଳ୍ପ କିଛି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ଅନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ଯୋଡ଼ି ବିଷୟରେ ଅନେକ କଥା ଶୁଣିବାକୁ ମିଳୁଥିଲା । ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ଖୁବ୍ଶୀଘ୍ର ବାହାଘର ମଧ୍ୟ ହେଉଛି ବୋଲି ଶୁଣିବାକୁ ମିଳିଥିଲା । ରବିବାର ଏ ନେଇ ଉଭୟ ସୂଚନା ଦେବା ପରେ ଦୁହିଁଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଅର୍ଚ୍ଚିତା ନିଜ ଫେସ୍ବୁକ୍ ପେଜ୍ରେ ଲେଖିଛନ୍ତି ଯେ, ସୁଖ ଆଉ ଦୁଃଖର ନାମ ଜୀବନ । ଅନେକ ଥର ଲାଗେ ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ । ବୋଧେ ସେଥିପାଇଁ ମତେ ଏମିତି ଏକ ଜୀବନସାଥୀ ମିଳିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ସୋମବାର ଆମର ବାହାଘର । ଆମ ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ । ସେହିପରି ଅନୁରୂପ ଭାବେ ସବ୍ୟସାଚୀ ମଧ୍ୟ ତାଙ୍କର ପ୍ରଶଂସକ ମାନଙ୍କୁ ତାଙ୍କର ସୁଖୀ ଜୀବନ ପାଇଁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି । କରୋନା ସମୟରେ ସବ୍ୟଙ୍କ ଅବଦାନକୁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ମଧ୍ୟ ବେଶ୍ ପ୍ରଶଂସା ମିଳିଛି । ଏବେ ଏହି ଯୋଡ଼ି ରାଜସ୍ଥାନରେ ଥିବାବେଳେ ଓଡ଼ିଶା ଫେରିବା ପରେ ଏଠାରେ ଅତିଥିମାନଙ୍କୁ ନେଇ ଭୋଜିର ଆୟୋଜନ କରାଯିବ ବୋଲି ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି