ଅନ୍ଲାଇନ୍ କ୍ଲାସ ପରେ, ମୋବାଇଲ ରୁ ବାହାରିଲା ନିଆଁ.
(ସ୍ୱସ୍ତିକ ବ୍ୟୁର ) ଫୁଲବାଣୀ : ସ୍କୁଲ୍ କଲେଜ ବନ୍ଦ ଯୋଗୁଁ ଏବେ ଚାଲିଛି ଅନ୍ଲାଇନ୍ ପାଠପଢ଼ା । ତେବେ ଏହି ଅନ୍ଲାଇନ୍ ପାଠପଢ଼ା ଆଜି ଜଣେ ଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଛାତ୍ର ଜଣକ ପାଠ ପଢ଼ିସାରି ମୋବାଇଲ୍ ରଖିବାର ମାତ୍ର ୩୦ ସେକେଣ୍ଡ୍ ପରେ ମୋବାଇଲ୍ଟି ଫାଟି ଯାଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ଫୁଲବାଣୀ ମୁଣ୍ଡିଆ ସାହିର ୯ମ ଶ୍ରେଣୀର ଛାତ୍ର ସାତ୍ତ୍ୱିକ ପଟ୍ଟନାୟକ ।
ସୂଚନା ଅନୁଯାୟୀ, ସାତ୍ତ୍ୱିକ ଆଜି ଘରେ ଅନ୍ଲାଇନ୍ରେ ପାଠ ପଢ଼ୁଥିଲେ । କ୍ଲାସ୍ ଶେଷ ହେବା ପରେ ମୋବାଇଲ୍ଟିକୁ ଟେବୁଲ୍ ଉପରେ ରଖି ସାତ୍ତ୍ୱିକ୍ ହୋମ୍ୱାର୍କ କରୁଥିଲେ । ହଠାତ୍ ମୋବାଇଲ୍ଟି ଢୋ’ କରି ଫାଟିବା ସହ ସେଥିରେ ନିଆଁ ଲାଗିଯାଇଥିଲା ।
ସାତ୍ତ୍ୱିକ ଏକ କାର୍ଡର୍ବୋଡ୍ ସହାୟତାରେ ମୋବାଇଲ୍କୁ ତଳକୁ ଫିଙ୍ଗି ଦେଇଥିଲେ । ଫଳରେ ସାତ୍ତ୍ୱିକଙ୍କ ଏଥିରେ କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ମୋବାଇଲ୍ରେ ଅଧିକ ସମୟ ଧରି ପାଠ ପଢ଼ିବା ଯୋଗୁଁ ମୋବାଇଲ୍ ବ୍ୟାଟେରି ଗରମ ହୋଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।