ମନୋରେଖା କାମ ଅଭିଯୋଗ ପରେ ବିଡ଼ିଓଙ୍କ ତଦନ୍ତକୁ ନେଇ ଠିକାଦାର ଓ କର୍ମଚାରୀ ଛାନିଆ

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର (ଉପେନ୍ଦ୍ର ସାହୁ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତ ଅଧୀନ ଆବୁଲପୁରା ଗ୍ରାମରେ ମନରେଗା ଯୋଜନାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅନିୟମିତତାକୁ ନେଇ ଗ୍ରାମର କିଛି ଉଦୀୟମାନ ଯୁବକ ଏହାକୁ ତୀବ୍ରବିରୋଧ କରିଥିଲେ । କାର୍ଯ୍ୟର ଦୁର୍ନୀତିକୁ ନେଇ ହୋଇଥିବା ଲକ୍ଷାଧିକ ଟଙ୍କାର ଘୋଟାଲା ବାବଦରେ ମଧ୍ଯ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ଦୃଷ୍ଟି ଆକର୍ଷଣ କରାଇଥଲେ । ଏସଂକ୍ରାନ୍ତରେ ପୁଙ୍ଖାନୁୁପୁଙ୍ଖ ତଦନ୍ତ କରିବା ନେଇ ହାଟଡିହି ବିଡ଼ିଓ ବିନିତା ବିଜୟିନୀ ଯୁବଗୋଷ୍ଠୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜବାବ୍ ମୁତାବକ ହାଟଡିହି ବିଡ଼ିଓ ଆବୁଲପୁରା ଗାଁରେ ପହଞ୍ଚି ଅନ୍ ଗୋଇଙ୍ଗ ଅବସ୍ଥାରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସ୍ଥିତି ପରଖିବା ସହ ବିନା ଫାଇଲ୍ ଏବଂ ଲେବର୍ ଡିମାଣ୍ଡ ପୂର୍ବରୁ ମେସିନ୍ ଦ୍ଵାରା ହୋଇଥିବା କାର୍ଯ୍ୟକୁ ନେଇ କନିଷ୍ଠ ଯନ୍ତ୍ରୀ ପ୍ରକାଶ କୁମାର ସାମଲଙ୍କ ସହ ଜିଆରଏସ ଜଗବନ୍ଧୁ ଯେନା ଉପରେ ବର୍ଷିଥିଲେ । କେଉଁଠି ସମୁଦାୟ କାମ ହୋଇ ନଥିବାବେଳେ ଅଧାରୁ ଅଧିକ ବିଲ୍ ଉଠି ସାରିଛି ତ ପୁଣି କେଉଁଠି କାମର ନାଁ ଗନ୍ଧ ନଥାଇ ବିଲ୍ ହଡ଼ପ ହୋଇଥିବା ଜାଣିବାକୁ ପାଇଥିଲେ । ହାଟଡିହି ବିଡ଼ିଓ କିଛି ମୁଖିଆ ଲୋକ ଏବଂ ଯୁବଗୋଷ୍ଠୀଙ୍କ ସାଥିରେ ଗାଁର ସ୍ଥିତି ଅନୁଧ୍ୟାନ କରିଥିଲେ । ଗାଁ ସମସ୍ୟା କିପରି ସୁଧାରି ହେବ ସେନେଇ ଯୁବଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ଦେଖାଯାଉ ଆଗାମୀ ଦିନରେ ଯୁବଗୋଷ୍ଠୀଙ୍କ ପ୍ରୟାସ ଏବଂ ବିଡ଼ିଓଙ୍କ ମିଳିତ ସହଯୋଗରେ ସେ ଗାଁର ଚିତ୍ର କିଭଳି ଢ଼ଙ୍ଗରେ ରୂପରେଖ ନେଉଛି ।