ଦୁର୍ବଳ ହେଲାଣି ଧବଳେଶ୍ୱର ଝୁଲାସେତୁ
ସ୍ୱସ୍ତିକ ବ୍ୟୁର :-ଦୁର୍ବଳ ହେଲାଣି ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ସେତୁ । କେଉଁ ମୁହୂର୍ତ୍ତରେ ଯେ କଣ ହେବ ତାହା କହିବା ମୁସ୍କିଲ । ତେଣୁ ଏହି ସେତୁ ଉପରେ ଯିବା ଆସିବା କରିବାକୁ ଏବେ ଭୟ କଲେଣି ଭକ୍ତ । ଏହି ସେତୁ ନିର୍ମାଣ ହେବାର ଦେଢ ଦଶନ୍ଧି ବିତିନି କିନ୍ତୁ ଏହାର ସ୍ଥାୟୀତ୍ୱ ଉପରେ ଏବେ ପ୍ରଶ୍ନବାଚୀ ଛିଡା ହେଲାଣି ।
୨୦୦୬ରେ ଧବଳେଶ୍ୱର ପୀଠକୁ ଯିବା ପାଇଁ ଏହି ଝୁଲା ସେତୁର ନିର୍ମାଣ କରାଯାଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ଏହି ବହୁ ପ୍ରତୀକ୍ଷିତ ଝୁଲା ସେତୁ ନିର୍ମାଣ କରାଯାଇଥିଲା । ସେତେବେଳେ ଏହି ସେତୁ ୯୯ ବର୍ଷ ଯାଏଁ କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ଏପରିକି ସେହି ସମୟରେ ଏହି ସେତୁରେ ଏକାସଙ୍ଗରେ ୧୫୦୦ ଜଣ ଯାଇପାରୁଥିଲେ । କିନ୍ତୁ ଏବେ ସେତୁର ସ୍ଥାନେ ସ୍ଥାନେ ରେଲିଂ ଛିଣ୍ଡିବା ଅବସ୍ଥାରେ ଥିବା ବେଳେ ଏକାସଙ୍ଗରେ ସେତୁ ଉପରେ ୬୦୦ ଜଣଙ୍କୁ ଯିବାକୁ ଅନୁମତି ମିଳୁଛି । ଯାହା ଦର୍ଶାଉଛି ସେତୁର ସ୍ଥିତି ଏବେ କେମିତି ରହିଛି ।