ରାଜଧାନୀ ରେ ଉଠାଇଲେ ଖୋର୍ଦ୍ଧା ରେ ଫିଙ୍ଗିଦେଲେ

ସ୍ୱସ୍ତିକ ବ୍ୟୁର :-ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କର ଶରୀର କ୍ଷତାକ୍ତ ହୋଇଥିଲା । ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ବରରେ କାମ କରୁଥିବା କହିଥିଲେ। ସେ ସବୁଦିନ ପରି କାଲି ମଧ୍ୟ କାର୍ ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ । ସେହି କାର୍ ରେ ୩ ଜଣ ବସିଥିଲେ । ତେବେ ତାଙ୍କ ସହ ବହୁତ କିଛି ହୋଇଛି ଓ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି ଉଦ୍ଧାର କରିଥିବା ଯୁବକମାନଙ୍କ ଆଗରେ କାନ୍ଦି କାନ୍ଦି କହିଥିଲେ । ଯୁବକମାନେ ପୋଲିସକୁ ଖବର ଦେବା ସହ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍ ଆଣିଥିଲେ । ଖବର ପାଇ ଟାଉନ୍ ଥାନା ଅଧିକାରୀ ଜଣେ ମହିଳା ଏସ୍ଆଇ ଓ ଅନ୍ୟ କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ପଚରାଉଚୁରା କରିଥିଲେ । ପରେ ଏସପି ମଧ୍ୟ ହସପିଟାଲରେ ପହଞ୍ଚିଥିଲେ । ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ । ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ସେ ଓ ତାଙ୍କ ବିଧବା ମା’ ଖୋର୍ଦ୍ଧାରେ ରହୁଛନ୍ତି । ସେ କୌଣସି ସାଟିର୍ଫିକେଟ୍ ଆଣିବା ପାଇଁ ଭୁବନେଶ୍ବର ଯାଇଥିଲେ । ଖଣ୍ଡଗିରି ଛକରୁ ଏକ ଭଡ଼ା କାର୍ ରେ ଆସୁଥିଲା ବେଳେ ବାଟରେ ଏଭଳି କିଛି ଘଟିଥିବା ସନ୍ଦେହ କରାଯାଉଛି । କାରରେ ଥିବା ୩ ଯୁବକଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।