ଚିନ୍ତା ବଢାଉଛି ପିଆଜ: ୧୬୦ ଛୁଇଁଲାଣି ଦର,
ସ୍ୱସ୍ତିକ ବ୍ୟୁର. ଦିନକୁ ଦିନ ବଢ଼ିବାରେ ଲାଗିଛି ପିଆଜ ଦର । ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜର ଦର ଆକାଶ ଛୁଆଁ । କେତେକ ସ୍ଥାନରେ ଏହାର ଦାମ ୧୬୦ ଟଙ୍କା ଛୁଇଁଲାଣି । ତେବେ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଓ ବାଲେଶ୍ୱରରେ ପିଆଜ ଦର ୧୩୦ଟଙ୍କା ରହିଥିବା ବେଳେ ନବରଙ୍ଗପୁରରେ ଏହା ୧୨୦ଟଙ୍କା ରହିଛି । ସେପଟେ ବ୍ରହ୍ମପୁର ସହରରେ ପିଆଜ ୧୩୦ଟଙ୍କାରୁ ତଳକୁ ଖସିବାର ନାଁ ଧରୁନି । ସେହିପରି କଟକ ଛତ୍ରବଜାରରେ ପିଆଜ କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଏବେ ପିଆଜକୁ ଦେଖିଲେ ଛୁଇଁବାକୁ ଡର ଲାଗୁଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଗ୍ରାହକମାନେ କିଲେ ନେବା ବଦଳରେ ଅଢେଇଶହ ଗ୍ରାମ କିମ୍ବା ତାଠାରୁ କମ ପିଆଜ କିଣୁଛନ୍ତି । ପିଆଜର ଏହି ଅହେତୁକ ଦରବୃଦ୍ଧି ଗତ କିଛି ଦିନ ଧରି ଲାଗି ରହିଛି । ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଥିବାରୁ ଏହା ସବୁ ବର୍ଗରୁ ଲୋକଙ୍କ ପକେଟ ଉପରେ ମାଡ କରିିଛି । ସେପଟେ ସଂସଦରେ ମଧ୍ୟ ଏହି ପିଆଜର ତାତି ଦେଖିବାକୁ ମିଳିଛି । ଏନେଇ ରାଜ୍ୟସଭାରେ ଖାଉଟି କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଦାନଭେ ରାଓସାହେବ ଦାଦାରାଓ ବିବୃତି ରଖିଛନ୍ତି ।