ଶିକ୍ଷକଙ୍କ ଅମାନୁଷିକ କାର୍ଯ୍ୟ
ଆନନ୍ଦପୁର (ଉପେନ୍ଦ୍ର ସାହୁ) ସୀମା ଟପିଲେ ଶିକ୍ଷକ ପାଠ ନଜାଣିବାରୁ ଛାତ୍ରଛାତ୍ରୀଙ୍କୁ ଦେଲେ ଅକଥନୀୟ ନିର୍ଯାତନା । ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଅଣ୍ଠେଇ ବାଡିରେ ନିର୍ଦ୍ଧୁମ ଛେଚିଲେ ଶିକ୍ଷକ । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ଶିକ୍ଷକ ରତି ନାରାୟଣ ରାଉତ ପାଠ ପଢାଉଥିବା ବେଳେ ପିଲାମାନେ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ । ଏହାପରେ ଶିକ୍ଷକ ଜଣଙ୍କ ରାଗିଯାଇ ୧୦ରୁ ୧୨ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇ ଦେବା ସହିତ ବାଡିରେ ଛାତ୍ରଛାତ୍ରୀମାନଙ୍କୁ ଅମାନବୀୟ ଭାବେ ନିର୍ଦ୍ଧୁମ ପିଟି ଚାଲିଥିଲେ । ପିଲାମାନେ କାନ୍ଦି କାନ୍ଦି ଯେତେ ନେହୁରା ହୋଇଥିଲେ ମଧ୍ୟ ଶିକ୍ଷକ ଜଣଙ୍କ ଶୁଣିନଥିଲେ । ଶିକ୍ଷକ ଯେଉଁ ଭଳି ଭାବେ ପିଟୁଥିଲେ ତାହାର ଚିତ୍ର ଯେ କେହିବି ଦେଖିଲେ ଲୋମ ଟାଙ୍କୁରି ଉଠିବ । ସାମାନ୍ୟ କଥାକୁ ନେଇ ଶିକ୍ଷକ ଏଭଳି କାଣ୍ଡ ଆମ ଶିକ୍ଷା ବ୍ୟବସ୍ଥା ଉପରେ କି ପ୍ରଭାବ ପକାଇବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଘଟଣା ସମ୍ପର୍କରେ ଛାତ୍ରୀମାନେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପଟେ ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ପଚାରିବାରୁ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।